ଶ୍ରୀହନୁମାନଙ୍କ କପୀଶ ରୂପ କାହିଁକି
ଜୟ ହନୁମାନ ଜ୍ଞାନ ଗୁଣ ସାଗର । ଜୟ 'କପୀଶ' ତିହୁଁ ଲୋକ ଉଜାଗର ॥ ହରି ଓ ହର ଦୁହିଁଙ୍କୁ ଭିନ୍ନ ଭାବେ ଦେଖିବା ଅଥବା ତାଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରିବା ଦୋଷାବହ । କାରଣ ଉଭୟେ ଅଭିନ୍ନ । ତେଣୁ ଶ୍ରୀହରି ଯେତେବେଳେ ଶ୍ରୀରାମ ରୂପରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହେଲେ, ଭଗବାନ ଶିବ ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ ବା କିପରି ? ତେଣୁ ସେ ଶ୍ରୀହନୁମାନ ରୂପରେ ଅବତାର ଗ୍ରହଣ କରିଥିଲେ । ତେବେ ସେ 'କପୀଶ' ରୂପରେ କାହିଁକି ଅବତାର ଗ୍ରହଣ କଲେ ତାହା ଜାଣିବା ନିମନ୍ତେ ଆମେ ଏହା ପୂର୍ବରୁ ଘଟିଥିବା ପ୍ରସଙ୍ଗ ଉପରେ କିଞ୍ଚିତ୍ ଆଲୋକପାତ କରିବା । ଆମେ ଜାଣୁ ଭଗବାନ ଶିବଙ୍କ ଦ୍ଵାରପାଳ ତଥା ପ୍ରମୁଖ ଗଣ ହେଉଛନ୍ତି ନନ୍ଦୀ ଯେକି ସାକ୍ଷାତ୍ ରୁଦ୍ର ସ୍ବରୂପ । ମାତ୍ର ପରବର୍ତ୍ତୀ ସମୟରେ ସେ କପିମୁଖ ବା ବାନରମୁଖ ହୋଇଥିଲେ । ନନ୍ଦୀ କିପରି କପିମୁଖ ହେଲେ ସେ ସମ୍ବନ୍ଧୀୟ ବର୍ଣ୍ଣନା ସ୍କନ୍ଦ ପୁରାଣରେ ରହିଛି । ସ୍କନ୍ଦ ପୁରାଣର ମାହେଶ୍ୱର ଖଣ୍ଡ ଅନ୍ତର୍ଗତ କେଦାର ଖଣ୍ଡରେ ବର୍ଣ୍ଣିତ ଅଛି ଯେ - "ନନ୍ଦୀଙ୍କର କପିମୁଖ ହେଉଛି ତାଙ୍କର ଶିଵ ଉପାସନାର ଇପ୍ସିତ ଫଳ । ଭଗବାନ ଶିବ ଏକଦା ନନ୍ଦୀଙ୍କୁ ତାଙ୍କ ସାରୁପ୍ୟର ବରଦାନ ଦେବାକୁ ଚାହିଁଥିଲେ, କିନ୍ତୁ ନନ୍ଦୀ ସ୍ୱୟଂ ଏହାକୁ ସ୍ୱୀକାର ନ କରି ନିଜ ନିମିତ୍ତ କପି ସଦୃଶ ମୁ